ଆଜି ମହାଳୟା: ଶ୍ରାଦ୍ଧ ଅର୍ପଣ କରୁଛନ୍ତି ଶ୍ରଦ୍ଧାଳୁ

ଫୋକସ ପ୍ଲସ(ଭୁବନେଶ୍ୱର):  ଆଜି ହେଉଛି ମହାଳୟା। ଆଶ୍ୱିନ ମାସର ଅମାବାସ୍ୟା ‘ମହାଳୟା’ ଅମାବାସ୍ୟା ଭାବରେ ପରିଚିତ ଓ ପ୍ରସିଦ୍ଧ। ପବିତ୍ର ମହାଳୟା ଶ୍ରାଦ୍ଧ ପାଇଁ ଆଜି ଶହଶହ ଶ୍ରଦ୍ଧାଳୁ ପିତୃ ପୁରୁଷ ଓ ମାମୁଁ ଘର ତିନି ପୁରୁଷଙ୍କୁ ପିଣ୍ଡଦାନ କରିବାର ପ୍ରଥା ରହିଛି। ପିଣ୍ଡଦାନ କଲେ ପରଲୋକଗତ ଆତ୍ମାର ସଦ୍ଗତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଶ୍ରଦ୍ଧାଳୁମାନେ ଶ୍ରାଦ୍ଧ ଅର୍ପଣ କରୁଥିବାର ଦେଖିବାକୁ ମିଳୁଛି। ୨ ବର୍ଷ ପରେ ବିନା କଟକଣାରେ ମହାଳୟା ପାଳନ ହେଉଥିବାରୁ ଶ୍ରଦ୍ଧାଳଙ୍କୁ ଭିଡ଼ ପରିଲକ୍ଷିତ ହେଉଛି। ଭାଗବତ ଜନ୍ମ ପରଦିନ ଠାରୁ ଅର୍ଥାତ ଆଶ୍ୱିନ ପ୍ରତିପଦାରୁ ଆରମ୍ଭ ହୋଇଛି ଅପରପକ୍ଷ। ଆଜି ମହାଳୟା ଅମାବାସ୍ୟାରେ ଅପରପକ୍ଷ ଶେଷ ହେଉଥିବା ବେଳେ ପିତୃକୂଳ ଓ ମାତୃକୁଳକୁ ଆଜି ପୁଅମାନେ ପିଣ୍ଡଦାନ କରିଥାନ୍ତି। ବାଇଶିପାହାଚରେ ପିଣ୍ଡଦାନ ପାଇଁ କଟକଣା ଲାଗିଥିବାରୁ ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀ, ମହୋଦଧି ସମେତ ଶ୍ରୀମନ୍ଦିରର ଉତ୍ତରଦ୍ୱାର ପଟେ ପିଣ୍ଡ ଦାନ ପାଇଁ ବେଶ ଭିଡ଼ ଦେଖିବାକୁ ମିଳିଛି ।
ଆଜି ପବିତ୍ର ମହାଳୟା ଅମାବାସ୍ୟା ସହ ପିତୃପକ୍ଷ ପିଣ୍ଡଦାନର ଶେଷ ଦିନ। ଏହି ଅବସରରେ ମା ବିରଜାଙ୍କ ପାଖରେ ଇନ୍ଦୁପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ପିତୃପକ୍ଷ ପିଣ୍ଡଦାନର ଶେଷ ଦିନ ରହିଛି। ୧୫ ଦିନ ହେବ ଶହ ଶହ ଶ୍ରଦ୍ଧାଳୁ ମା ବିରଜାଙ୍କ ପାଖୁ ଆସି ପିତୃପୁରୁଷଙ୍କୁ ନାଭିଗୟାରେ ପିଣ୍ଡଦାନ କରିଛନ୍ତି। ଆଜି ଶେଷ ଦିନରେ ମଧ୍ୟ ପିଣ୍ଡଦାନ ପାଇଁ ସେଠାରେ ବହୁ ଲୋକଙ୍କ ଭିଡ଼ ଜମିଛି।

Leave a Reply

Your email address will not be published. Required fields are marked *