ତମାଖୁ ସ୍ବାସ୍ଥ୍ୟପକ୍ଷେ ହାନିକାରକ ତାହା ସମସ୍ତେ ଜାଣନ୍ତି । ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ ସାଂଘାତିକ ହୋଇପାରେ । ଧୂମପାନ ମାନସିକ ସ୍ୱାସ୍ଥ୍ୟ ସହିତ ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ । ଧୂମପାନ ଏବଂ ତମାଖୁର ନକାରାତ୍ମକ ପ୍ରଭାବ ଜାଣିବା ସତ୍ତ୍ବେ ବିଶ୍ବରେ ବହୁ ସଂଖ୍ୟକ ଲୋକ ତମାଖୁ ସେବନ କରିଥାନ୍ତି । ବିଡି, ସିଗାରେଟ୍ ଏବଂ ଗୁଟଖା ଇତ୍ୟାଦି ଖାଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଧୂମପାନ ଧମନୀକୁ ଦୁର୍ବଳ କରିଥାଏ ଏବଂ କରୋନାରୀ ହୃଦ୍ ରୋଗ ଏବଂ ଷ୍ଟ୍ରୋକର କାରଣ ହୋଇପାରେ । କେତେକ ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, ଗତ କିଛି ବର୍ଷ ହେଲା ହୃଦଘାତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାର ମୁଖ୍ୟ କାରଣ ଧୂମପାନ ଏବଂ ତମାଖୁ ସେବନ ବୋଲି କୁହାଯାଇଛି । ତମାଖୁ ସେବନ ଦ୍ବାରା କର୍କଟ ଏବଂ ଫୁସଫୁସ ରୋଗ ମଧ୍ୟ ହୋଇପାରେ । ତେବେ ଏଥିରୁ ମନୁଷ୍ୟ ଜାତିକୁ ରକ୍ଷା କରିବା ପାଇଁ ପ୍ରତି ବର୍ଷ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି ।
କିଭଳି ଛାଡିବେ ତମାଖୁ:ନିକୋଟିନ୍ ରିପ୍ଲେସମେଣ୍ଟ ଥେରାପି କିମ୍ବା NRT ମାଧ୍ୟମରେ ତମାଖୁ କିମ୍ବା ଧୂମପାନ ମଧ୍ୟ ଛାଡି ଦିଆଯାଇପାରେ । ଏଥିରେ ଏକ ଚୁଇଙ୍ଗମ୍ ଦିଆଯାଏ, ଯେଉଁଥିରେ ନିକୋଟିନ୍ ପଦାର୍ଥ ରହିଥାଏ । ବ୍ୟକ୍ତିର ଧୂମପାନ କ୍ଷମତା ଉପରେ ନିର୍ଭର କରି ଏହା ବିଭିନ୍ନ ଆକାରରେ ଉପଲବ୍ଧ ରହିଥାଏ । ପ୍ରଥମ ସପ୍ତାହରେ ଏହା ଅଧିକ ପରିମାଣରେ ଦିଆଯାଏ ଏବଂ ପରେ ଧୀରେ ଧୀରେ କମାଯାଇଥାଏ । ଏହି ଚୁଇଙ୍ଗମ୍ ମାନବ ଶରୀରରେ ନିକୋଟିନର ଅଭାବ ପୂରଣ କରେ ଏବଂ ସେ ତମାଖୁ ସେବନରୁ ଦୂରେଇ ଯାଏ ।
ଏହି ପଦ୍ଧତିରେ ଏକ ନିକୋଟିନ୍ ପ୍ୟାଚ୍ ପ୍ରୟୋଗ କରାଯାଏ । ରୋଗୀର ମାତ୍ରା ଅନୁଯାୟୀ ଏହା ମଧ୍ୟ ଦିଆଯାଏ । ଶରୀରର ଏକ ଛୋଟ ପ୍ୟାଚ୍ ଲେପନ କରାଯାଏ ଯେଉଁଠାରେ କେଶ ନଥାଏ । ଏହି ପ୍ୟାଚ୍ ମାଧ୍ୟମରେ ଶରୀର ଆବଶ୍ୟକତା ଅନୁଯାୟୀ ନିକୋଟିନ୍ ନେଇଥାଏ ।