ବାରଙ୍ଗ: ୧୯୬୦ ମସିହା ଡିସେମ୍ବର ମାସ ୨୯ ତାରିଖରେ ସ୍ଥାପିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସବୁ ବେଳେ ବ୍ୟାଘ୍ର ପ୍ରେମୀଙ୍କ ମହଲରେ ଚର୍ଚ୍ଚାରେ ରହିଆସିଛି। ଯେବେଯେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କଥା ଚର୍ଚ୍ଚାକୁ ଆସିଛି, ସେତେବେଳେ ବାଘଙ୍କ କଥା ପ୍ରମୁଖ ପ୍ରସଙ୍ଗ ହୋଇଛି। ରାଜ୍ୟର ହୁଅନ୍ତୁ କି ରାଜ୍ୟ ବାହାରର, ଯେ କୌଣସି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଥାନ୍ତି ବାଘ। ବିଶ୍ବ ବ୍ୟାଘ୍ର ଦିବସ ଅବସରରେ ନନ୍ଦନକାନନ ବାଘଙ୍କୁ ନେଇ ଏଇ ସ୍ବତନ୍ତ୍ର ପ୍ରତିବେଦନ। ନନ୍ଦନକାନନ ବାଘଙ୍କୁ ନେଇ ଅନେକ ରୋଚକ କଥା ରହିଛି। ଏହି ପ୍ରସଙ୍ଗରେ ନନ୍ଦନକାନନରେ ଜଙ୍ଗଲି ବାଘଙ୍କ ଅନୁପ୍ରବେଶ ପ୍ରସଙ୍ଗ ଶୀର୍ଷରେ ରହିଛି। ନନ୍ଦନକାନନର ପ୍ରାକୃତିକ ପରିବେଶ ପ୍ରତି ଆକର୍ଷଣ ହେଉ ବା ସାଥୀ ଖୋଜିବା ଆଶାରେ ହେଉ, ଦୁଇ ଥର ଚନ୍ଦକା ଅଭୟାରଣ୍ୟରୁ ଜଙ୍ଗଲୀ ବାଘଙ୍କ ଅନୁପ୍ରବେଶ ହୋଇଛି। ସେମାନେ ହେଉଛନ୍ତି ବାଘୁଣୀ ‘କାନନ’ ଓ ମହାବଳ ବାଘ ‘ନନ୍ଦନ’। ୧୯୬୭ ମସିହା ଜାନୁଆରି ୪ ତାରିଖରେ ପ୍ରଥମ କରି ନନ୍ଦନକାନନର ମହାବଳ ବାଘ ପ୍ରଦୀପ ପ୍ରତି ଆକୃଷ୍ଟ ହୋଇ ଖୁଆଡ ଭିତରକୁ ଡେଇଁ ଧରାପଡି ଥିଲା ‘କାନନ’। ସେତେବେଳେ ଚନ୍ଦକା ଜଙ୍ଗଲର ଶେଷ ବଂଶଧର ବାଘୁଣୀ ଧରାପଡିଥିବା ନେଇ ଚର୍ଚ୍ଚା ହୋଇଥିଲା। କାନନ ଧରାପଡି ୧୧ ବର୍ଷ କାଳ ରହିବା ପରେ ୧୯୭୮ ମସିହା ଜୁଲାଇ ମାସ ୨୧ ତାରିଖରେ ମୃତ୍ୟୁ ବରଣ କରିଥିଲା। ହେଲେ ସେ ମା’ ହୋଇ ପାରି ନଥିଲା।
ଆଜି ବିଶ୍ବ ବ୍ୟାଘ୍ର ଦିବସ
