ଆଜିଠାରୁ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଭୁବନେଶ୍ବରରୁ ସ୍ଵତନ୍ତ୍ର ହେଲିକପ୍ଟରରେ ଆସି ପୂର୍ବାହ୍ନ ୧୦.୧୫ ମିନିଟ୍ରେ ରାଇରଙ୍ଗପୁର ଦାଣ୍ଡବୋଷ ସ୍ଥିତ ଏୟାରଷ୍ଟ୍ରିପ୍ରେ ଅବତରଣ କରିବେ। ଏହାପରେ ୧୦.୩୫ରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ଏବଂ ସେଠାରୁ ମହୁଲଡିହା ସ୍ଥିତ ଖେଳ ପଡ଼ିଆରେ ଆଲଚିକି ଲିପିର ଶତବାର୍ଷିକ ସମାରୋହ ଓ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ଜନ୍ମ ଜୟନ୍ତୀ ସମାରୋହରେ ଯୋଗଦେବେ। ସଭା ସରିବା ପରେ ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ମଧ୍ୟାହ୍ନ ଭୋଜନ କରିବେ । ରାତିରେ ସେଠାରେ ଦଳୀୟ କର୍ମୀଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।
ସେହିପରି ୧୩ ତାରିଖ ମଙ୍ଗଳବାର ପୂର୍ବାହ୍ନରେ ରାଇରଙ୍ଗପୁରରୁ ହେଲିକପ୍ଟରରେ ଆସି ବିଶୋଇ ମିନି ଷ୍ଟାଡିୟମରେ ଅବତାରଣ କରିବେ। ଏଠାରେ ଆୟୋଜିତ ସଭାରେ ସାମିଲ ହୋଇ ପ୍ରାୟ ଅଢ଼େଇ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧୬ କୋଟି ୬୪ ଲକ୍ଷ ଟଙ୍କାର ଗୋଟିଏ ପ୍ରକଳ୍ପ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୪୫୬.୪ କୋଟିର ୩୦ଟି ପ୍ରକଳ୍ପ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ୪.୫୦ କୋଟି ଟଙ୍କାର ୪ଟି ପ୍ରକଳ୍ପ, ଜଳସମ୍ପଦ ବିଭାଗର ୫୨୧.୭୫ କୋଟି ଟଙ୍କାର ୧୦ଟି ପ୍ରକଳ୍ପ, ପୂର୍ତ୍ତ ବିଭାଗର ୩୫.୨୦ କୋଟି ଟଙ୍କାର ୪ଟି ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗର ୨୫.୬୨ କୋଟି ଟଙ୍କାର ୩ଟି ପ୍ରକଳ୍ପର ଭଚୁଆଲ୍ ମୋଡ଼ରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହିତ ସମ୍ପୂର୍ଣ୍ଣ ହୋଇଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଯଥା; ଜଳସମ୍ପଦ ବିଭାଗର ୮୬.୯କୋଟି ଟଙ୍କାର ୨ଟି ପ୍ରକଳ୍ପ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୨୮୯.୫୨ କୋଟି ଟଙ୍କାର ୧୩୩ଟି ପ୍ରକଳ୍ପ, ପୂର୍ତ୍ତ ବିଭାଗର ୧୯.୪୮ କୋଟି ଟଙ୍କାରେ ଗୋଟିଏ ପ୍ରକଳ୍ପ, ଗ୍ରାମ୍ୟଉନ୍ନୟନ ବିଭାଗର ୬୬୦.୫୯ କୋଟି ଟଙ୍କାର ଗୋଟିଏ ପ୍ରକଳ୍ପ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୨୮୯.୩୨ କୋଟି ଟଙ୍କାର ୬ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।