ଆଗକୁ ଆହୁରି ବଢିବ ତାତି

ଫୋକସ ପ୍ଲସ 26/2/23(ଭୁବନେଶ୍ୱର): ଦିନକୁ ଦିନ ଖରା ଯେତେ ବଢୁଛି ତାତି ମଧ୍ୟ ସେତିକି ବଢୁଛି | ତେବେ ଚଳିତ ମାସ ୨୮ତାରିଖରୁ ତାତି ଆହୁରି ବଢ଼ିଯିବ ବୋଲି ପାଣିପାଗ ବିଭାଗ ଏନେଇ ସୂଚନା ମଧ୍ୟ ଦେଉଛି । ମାର୍ଚ୍ଚ ୨ ଓ ୩ ତାରିଖ ସୁଦ୍ଧା ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରୀ ପାର୍‌ କରିବା ନେଇ ସୂଚନ ରହିଛି।ଆସନ୍ତା ମାର୍ଚ୍ଚ ୩ ତାରିଖରେ ରାଜଧାନୀ ତାପମାତ୍ରା ୪୨ଡିଗ୍ରୀ ଛୁଇଁପାରେ । ଆଗକୁ ପ୍ରଚଣ୍ଡ ତାତି ଆଶଙ୍କାକୁ ନେଇ ଏଭଳି ସତର୍କ କରାଇଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ। ତାଙ୍କ ପୂର୍ବାନୁମାନ ଅନୁସାରେ ,ଶନିବାର ସନ୍ଧ୍ୟା ଯାଏ ପଶ୍ଚିମ ଦିଗରୁ ରାଜ୍ୟକୁ ଉତ୍ତରା ପଶ୍ଚିମ ଓ ପଶ୍ଚିମା ପବନ ବହୁଥିଲା । ରବିବାରଠାରୁ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଗୁରୁଚାପ ସୃଷ୍ଟି ସହ ରାଜ୍ୟକୁ ଦକ୍ଷିଣ ପଟୁ ବଙ୍ଗୋପସାଗରୀୟ ପବନ ଆସିବ ।

ଏହାର ପ୍ରଭାବରେ ୨୮ରୁ ତାପମାତ୍ରା ଆହୁରି ବଢ଼ିଯିବ । ୩ ତାରିଖ ସୁଦ୍ଧା ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡ଼ାରୁ କଳାହାଣ୍ଡି ଯାଏ ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିବ । କିଛି ସ୍ଥାନରେ ତାପମାତ୍ରା ତା’ ଠାରୁ ବି ଅଧିକ ରହିପାରେ । ୩ରେ ଭୁବନେଶ୍ୱର ତାପମାତ୍ରା ୪୧ରୁ ୪୨ ଡିଗ୍ରୀ ଛୁଇଁପାରେ । ଅଧିକ ଆର୍ଦ୍ରତା ଯୋଗୁ ଗୁଳୁଗୁଳି ବି ହେବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।ତେବେ ଭୁବନେଶ୍ୱର ସମେତ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଆସନ୍ତା ତିନି ଦିନ ଯାଏ ତାପମାତ୍ରା ଅପରିବର୍ତ୍ତିତ ରହିବ । ରାତି ତାପମାତ୍ରା ମଧ୍ୟ ବଢ଼ିବ । ସ୍ୱାଭାବିକଠାରୁ ୪ରୁ ୫ ଡିଗ୍ରୀ ଅଧିକ ରହିବ । ମାର୍ଚ୍ଚ ମାସରେ ତାପମାତ୍ରା ଅଧିକ ଯୋଗୁଁ ପନିପରିବା ଓ ରବି ଫସଲ ଶୀଘ୍ର ପଚିବା ସମ୍ଭାବନା ଅଛି ।

ଏଥିପାଇଁ ଅମଳ କମ୍‌ ରହିବ । ଏଥିପାଇଁ ନିୟମିତ ବ୍ୟବଧାନରେ ଜଳ ସିଞ୍ଚନ କରିବାକୁ ପରାମର୍ଶ ଦିଆଯାଇଛି । ମାର୍ଚ୍ଚ ମାସରେ ତାପମାତ୍ରା ବୃଦ୍ଧି ଲାଗି ରହିବ । ତେବେ ମାର୍ଚ୍ଚରେ ବର୍ଷା ସମ୍ଭାବନା କମ୍‌ ବୋଲି ସେ କହିଛନ୍ତି । ଏବେ ଇଏନ୍‌ଏସ୍‌ଓ ନିଉଟ୍ରାଲ୍‌ ଆସିଯାଇଛି । ପରେ ଏଲ୍‌ ନିନୋ ଆସିବ । ଏଥିପାଇଁ ପ୍ରବଳ ଗରମ ହୋଇପାରେ ବୋଲି ସେ ଆକଳନ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ମାର୍ଚ୍ଚ ୨ ତାରିଖ ଭିତରେ ରାଜ୍ୟର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ । ୩ରୁ ୯ ମାର୍ଚ୍ଚ ଭିତରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ବଢ଼ିବ । ସେପଟେ ମାଲକାନଗିରିରେ ତାପମାତ୍ରା ଆଜି ପୁଣି ୩୮ ଡିଗ୍ରୀ ଛୁଇଁଛି । ଏହା ପୁଣି ଥରେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।

ତେବେ ଉପକୂଳ ଜିଲ୍ଲାଗୁଡ଼ିକରେ ଦିନ ତାପମାତ୍ରା ଖସିଛି । ଭୁବନେଶ୍ୱରରେ ଆଜି ଦିନ ତାପମାତ୍ରା ୩୫.୨ ଡିଗ୍ରୀ ରହିଛି । ପୁରୀରେ ୩୧, ଖୋର୍ଦ୍ଧାରେ ୩୫, ଜଗତ୍‌ସିଂହପୁରରେ ୩୪, କଟକରେ ୩୪.୨, କେନ୍ଦ୍ରାପଡ଼ାରେ ୩୪.୮ ଓ ବାଲେଶ୍ୱରରେ ତାପମାତ୍ରା ୩୩.୮ଡିଗ୍ରୀ ରହିଛି । ଆଜି ୧୫ରୁ ଅଧିକ ସହରର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି । ଢେଙ୍କାନାଳ ଓ ସମ୍ବଲପୁରରେ ତାପମାତ୍ରା ସ୍ୱାଭାବିକଠାରୁ ୫ଡିଗ୍ରୀ ଅଧିକ ରହିଛି । ଫୁଲବାଣୀ, ବାରିପଦା ଓ ବଲାଙ୍ଗୀରରେ ୪, ଅନୁଗୁଳରେ ୪, ସୁନ୍ଦରଗଡ଼, ଟିଟିଲାଗଡ଼ ଓ ଝାରସୁଗୁଡ଼ାରେ ୩ ଓ ବାଲେଶ୍ୱରରେ ସ୍ୱାଭାବିକଠାରୁ ୨ ଡିଗ୍ରୀ ଅଧିକ ତାପମାତ୍ରା ରହିଛି । ଭୁବନେଶ୍ୱରରେ ସ୍ୱାଭାବିକଠାରୁ ୧ ଡିଗ୍ରୀ ଅଧିକ ରହିଛି । ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯.୪ ଓ ଫୁଲବାଣୀରେ ୧୨.୫ ଡିଗ୍ରୀ ରହିଛି । ଏବେ ରାଜ୍ୟକୁ ସାମୁଦ୍ରିକ ବାୟୁର ପ୍ରଭାବ ବଢ଼ିଛି । ଆସନ୍ତା ୫ଦିନ ଭିତରେ ରାଜ୍ୟରେ ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

 

Leave a Reply

Your email address will not be published. Required fields are marked *