ଫୋକସ ପ୍ଲସ 4/12/2022(ଜଗତସିଂହପୁର):ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେ ‘ଆମ ଗାଁ ଆମ ବିକାଶ’ ଯୋଜନାରେ ୧ କୋଟି ୬୬ ଲକ୍ଷ ଟଙ୍କା ଦୁର୍ନୀତି ଅଭିଯୋଗ ରେ ତଦନ୍ତ କରି ରଘୁନାଥପୁର ପୋଲିସ ସଂପୃକ୍ତ ବ୍ଲକ ର ଅବସରପ୍ରାପ୍ତ ସରକାରୀ ଯନ୍ତ୍ରୀ ଅମିୟ ଚନ୍ଦ୍ର ମଲ୍ଲିକଙ୍କୁ ଗିରଫ କରିଛି। ଅମିୟ ଙ୍କ ବିରୋଧରେ ପୋଲିସ ୪୨୦/ ୪୬୮/୪୭୧/୪୦୯/୧୬୬-ଏ/୧୬୭/୪୬୫ ଓ ୩୪ ଆଇପିସି ଧାରାରେ ମାମଲା ରୁଜୁ କରିଛି। ରଘୁନାଥପୁର ବ୍ଲକ ରେ ‘ଆମ ଗାଁ ଆମ ବିକାଶ’ ଯୋଜନା କାର୍ଯ୍ୟରେ ବେବହୃତ କଞ୍ଚାମାଲ୍ ଗୁଡ଼ିକର ଇନ୍ ଭଏସ୍ ବିଲ୍ ଜାଲିଆତି କରାଯାଇ ୧ କୋଟି ୬୬ ଲକ୍ଷ ଟଙ୍କା ଦୁର୍ନୀତି କରାଯାଇଥିବା ନେଇ ରେଢୁଆ ଅଞ୍ଚଳର ସାମାଜିକ କର୍ମୀ ଗୋବିନ୍ଦ ଓଝା କୋର୍ଟ ରେ ଏକ ମାମଲା ରୁଜୁ କରିଥିଲେ। ପୂର୍ବତନ ବିଡ଼ିଓ, ସରକାରୀ ଯନ୍ତ୍ରୀ ଓ କେତେଜଣ କନିଷ୍ଠ ଯନ୍ତ୍ରୀ ଙ୍କ ନାମରେ ସେ ଅଭିଯୋଗ ଆଣିଥିଲେ। ଅଦାଲତଙ୍କ ନିର୍ଦେଶ କ୍ରମେ ରଘୁନାଥପୁର ଥାନାରେ କେସ୍ ନଂ ୧୬୬/୨୨ ରେ ମାମଲା ରୁଜୁ ହୋଇଥିଲା। ଉପନିରିକ୍ଷକ ଅନିଲ କୁମାର ସାହୁ ଓ ଥାନା ଅଧିକାରୀ ରାଜକିଶୋର ବେହେରା ଘଟଣା ର ତଦନ୍ତ ଚଳାଇଥିଲେ। ରଘୁନାଥପୁର ଥାନା ପୋଲିସ ଏହି ଦୁର୍ନୀତି ର ତଦନ୍ତ କରି ୭ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲେ। ଏହି ଦୁର୍ନୀତି ରେ ସଂପୃକ୍ତ ତଥା ବ୍ଲକ ର ପୂର୍ବତନ ସରକାରୀ ଯନ୍ତ୍ରୀ ଅମିୟ ଚନ୍ଦ୍ର ମଲ୍ଲିକଙ୍କୁ ପୋଲିସ ଗୁ଼ଆଳିପୁର ରେଳବାଇ ଲେବୁଲକ୍ରସିଙ୍ଗ୍ ନିକଟରୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ଚିକିତ୍ସା କରାଯାଇ ତାଙ୍କୁ ରଘୁନାଥପୁର ଗ୍ରାମ୍ୟ ନ୍ୟାୟାଳୟରେ ହାଜର କରାଯାଇଥିଲା। ରଘୁନାଥପୁର ଗ୍ରାମ୍ୟ ନ୍ୟାୟାଳୟରେ ଶ୍ରୀ ମଲ୍ଲିକଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଆଳିପିଙ୍ଗଳ ଜେଲ୍ କୁ ପଠାଇ ଦିଆଯାଇଛି। ଏହି ଦୁର୍ନୀତି ରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ।
