ଫୋକସ ପ୍ଲସ(ମାଲକାନଗିରି)୦୭/୦୯/୨୦୨୨: ଆଜିର ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ର ପୁଷ୍ଟରେ ଜାଗା କିଣୁଥିବା ବେଳେ ସେହି ବିଜ୍ଞାନ ବଳରେ ମଣିଷ ବୁଲେଟ ମାଧ୍ୟମରେ ମଙ୍ଗଳ ଗ୍ରହରେ ପହଁଞ୍ଚି ଘର କରିବା କଥା ଚିନ୍ତା କରୁଛି। ବୈଜ୍ଞାନିକ ମାନେ ନିଜ ଜ୍ଞାନ କୌଶଳ ଜରିଆରେ ରୋବଟ ନିର୍ମାଣ କରି ମଣିଷର ପ୍ରତ୍ୟେକ କାର୍ଯ୍ୟକୁ ସହଜ ଓ ସ୍ବଳ୍ପ ସମୟ ମଧ୍ୟରେ କରିବାକୁ ସକ୍ଷମ ହୋଇଛି । ଖାଲି ସେତିକି ନୁହେଁ ଅଙ୍ଗ ପ୍ରତ୍ବୋରୋପଣ କରିବା ଠାରୁ ମୃତ ବ୍ୟକ୍ତିକୁ କିପରି ଜୀବିତ କରାଯିବ ସେନେଇ ଗବେଷଣା ଚଳେଇଥିବା ବେଳେ କିନ୍ତୁ ଦୁନିଆରେ ଏବେବି ଅନେକ ସ୍ଥାନ ରହିଛି ଯେଉଁଠି ସଚେତନତାର ଘୋର ଅଭାବ ଯୋଗୁଁ ଗ୍ରାମବାସୀଙ୍କ ମନରେ ଅନ୍ଧ ବିଶ୍ୱାସ ଭରି ରହିଛି ଯାହା ଫଳରେ ଗ୍ରାମରେ ଥିବା ଦୋଷତୃଟିକୁ ଦୁର କରିବା ପାଇଁ ବିଭିନ୍ନ ସମୟରେ ଦେଖିବାକୁ ମିଳେ ଝଡାଫୁଙ୍କା , ହୋମଯଜ୍ଞ ଏବଂ ପୂଜାର୍ଚନାର ଭଣ୍ଡ ପ୍ରହସନ । ବିଂଶ ଶତାବ୍ଦୀର ଅତ୍ୟାଧୁନିକ ଯୁଗରେ ମଧ୍ୟ ଭଣ୍ଡ ବାବା ମାତାଙ୍କ ପ୍ରାଦୃଭାବ ବଢ଼ିବାରେ ଲାଗିଛି। ଆମେ କହୁଛୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଚିତ୍ରାଙ୍ଗପାଲି ଅନ୍ତର୍ଗତ ଗୁମକାଗୁଡା ନିକଟସ୍ଥ ଏନ୍ତାଗୁଡା ଗ୍ରାମର କଥା ଯେଉଁଠି ଗତ କିଛିଦିନ ହେବ କୌଣସି କାରଣରୁ କିଛି ଲୋକଙ୍କ ମୃତ୍ୟୁ ଘଟୁଛି। ଲୋକମାନେ ଅସୁସ୍ଥ ହେଉଛନ୍ତି ଡାକ୍ତରଖାନା ମଧ୍ୟ ଯାଉଛନ୍ତି ହେଲେ ଶେଷରେ ମୃତ୍ୟୁର କବଳିତ ହେଉଛନ୍ତି। ବାରମ୍ବାର ଏମିତି ହେବା ପରେ ଗ୍ରାମରେ କିଛି ଦୋଷତୃଟି ଆଶଙ୍କା କରୁଛନ୍ତି ଅଳ୍ପ ଶିକ୍ଷିତ ଗ୍ରାମବାସୀ। ଦୋଷତୃଟି ଦୁର କରିବା ପାଇଁ ଆରମ୍ଭ ହୁଏ ପୂଜାର୍ଚନା। ଖୋଲିଯାଏ ଭଣ୍ଡ ମାନଙ୍କ ରୋଜଗାରର ରାସ୍ତା। କେବଳ ନଡ଼ିଆ କଦଳୀ , ଭକ୍ତି ସଙ୍ଗୀତ , ନାଚଗୀତ ନୁହେଁ ଏହା ବ୍ୟତୀତ ପୁଳାପୁଳା ଟଙ୍କା ପଇସାର ଖେଳ । ଏହି ପୂଜା କଲେ କଟିବ ଗାଁର ଦୋଷ ଓ ଏମିତି ଝଡାଫୁଙ୍କା କଲେ ଦୂର ହେବ ଗାଁର ଦୋଷତୃଟି। କାଳୀପୂଜା , ଚଣ୍ଡିପାଠର ଆଳରେ ଚାଲେ ଅନ୍ଧ ବିଶ୍ବାସର ପ୍ରଚାର ପ୍ରସାର। ତେବେ ସେହି ଗାଁରେ ଗତ କିଛି ମାସରେ ମଲେଣି ୧୫ ଜଣରୁ ଅଧିକ। କୌଣସି ରୋଗ କାରଣରୁ ହଉ କି ଅନ୍ୟ କିଛି କାରଣରୁ ହଉ। ଗ୍ରାମବାସିଙ୍କ କହିବାନୁଯାୟୀ ମୃତ୍ୟୁ ବରଣ କରୁଛନ୍ତି ଅନେକ ଲୋକ। ନିଶ୍ଚିତ ଗାଁରେ କିଛି ନା କିଛି ବିପଦ ଘଟୁଛି ତେଣୁ ପୂଜାର୍ଚ୍ଚନା ମାଧ୍ୟମରେ ବିପଦକୁ ପରାସ୍ତ କରିବା ପାଇଁ ପ୍ରୟାସ କରାଯାଉଥିବା ଗ୍ରାମବାସି ପ୍ରକାଶ କରିଛନ୍ତି । ତେବେ ଗାଁରେ ହେଉଥିବା ହରିଚାନ୍ଦ ଠାକୁରଙ୍କ ପୂଜାକୁ ବି ଗ୍ରାମବାସି ମାନେ ଭକ୍ତିର ସହ ପୂଜା କରୁଛନ୍ତି। ଗାଁର ଛୋଟ ପିଲା ଠୁଁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ବସି ପୂଜା କରୁଛନ୍ତି । ଏହି ଠାକୁରଙ୍କ ପୂଜା କଲେ କଟିବ ଗାଁର ଦୋଷତୃଟି ଓ ଲୋକଙ୍କ ମୃତ୍ୟୁ ମଧ୍ୟ ବନ୍ଦ ହୋଇଯିବ ବୋଲି ପ୍ରକାଶ କରିଛନ୍ତି ପୂଜା କରୁଥିବା ଠାକୁରଙ୍କ ଅନୁଗାମୀ।
ମାଲକାନଗିରିରୁ ନିରଞ୍ଜନ ମଲ୍ଲଙ୍କ ରିପୋର୍ଟ ଫୋକସ ପ୍ଲସ |