ଗୁଗୁଲ୍‌ ମ୍ୟାପ୍‌ ପାଇଁ ଚାଲିଗଲା ଜୀବନ

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ ଅଟେ। ଗୁଗୁଲ୍‌ ମ୍ୟାପ୍‌ ପାଇଁ ଚାଲିଗଲା ୩ ଜଣଙ୍କ ଜୀବନ । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ ବାସ୍ତବରେ ଏହା ହିଁ ସତ । ଆମେ ସାଧାରଣତଃ କୌଣସି ଏକ ନୂଆ ସ୍ଥାନକୁ ଯିବା ପାଇଁ ବାଟ ନ ଜାଣିଥିଲେ ଗୁଗୁଲ୍‌ ମ୍ୟାପ୍‌ର ସାହାଯ୍ୟ ନେଇଥାଉ । କିନ୍ତୁ ସେହି ଗୁଗୁଲ୍‌ ମ୍ୟାପ୍‌ ଯୋଗୁଁ ଯେ ମୃତ୍ୟୁ ଘଟିବ ସେ କଥା କେବେ ବିଶ୍ୱାସ କରିନଥିବେ । ଏହି ଗୁଗୁଲ୍‌ ମ୍ୟାପ୍‌ ପାଇଁ ଅଧା ଗଢ଼ା ପୋଲରୁ କାର୍ ଖସି ପଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ । ରାମଗଙ୍ଗା ନଦୀ ପରେ ନିର୍ମାଣଧୀନ ବ୍ରିଜ୍‌ ଉପରୁ ଏକ କାର ତଳକୁ ଖସି ପଡ଼ିଥିଲା । ଯାହାଫଳରେ କାର ଡ୍ରାଇଭରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗତ ଶନିବାର ରାତିରେ ଉତ୍ତରପ୍ରଦେଶର ବରେଲି ଏବଂ ବାଦାଉନ୍ ଜିଲ୍ଲା ସୀମାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା ।

ଏହା ପରଦିନ ସକାଳେ ସ୍ଥାନୀୟ ଲୋକ କାର ସହିତ ୩ ଜଣଙ୍କ ମୃତଦେହ ଠାବ କରିଥିଲେ । ଏହାପରେ ସେଠାକାର ସ୍ଥାନୀୟ ଲୋକ ପୋଲିସକୁ ସାଙ୍ଗେ ସାଙ୍ଗେ ଖବର ଦେଇଥିଲେ । ତେବେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୩ ଜଣ ହେଉଛନ୍ତି ଫାରୁଖବାଦର ବିବେକ କୁମାର, ଅମିତ ଏବଂ କୌଶଲ । ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ୩ ଜଣ ସାଙ୍ଗ ଗୁରୁଗ୍ରାମରୁ ବରେଲିକୁ କାର ଯୋଗେ ବାହାରିଥିଲେ । ତେବେ ବରେଲି ଯିବା ପାଇଁ ଏମାନେ ଗୁଗୁଲ୍‌ ମ୍ୟାପର ସାହାଯ୍ୟ ନେଇଥିଲେ । ଗୁଗୁଲ୍‌ ମ୍ୟାପ୍‌ ଦର୍ଶାଉଥିବା ରାସ୍ତାରେ ଏହି ୩ ଜଣ ଯାଉଥିଲେ । ତେବେ ଗୁଗୁଲ୍‌ ମ୍ୟାପ୍‌ ଅନୁସାରେ ତିନି ଜଣ ସାଙ୍ଗ କାରକୁ ନେଇ ଏକ ନିର୍ମାଣଧୀନ ପୋଲ ଉପରେ ଚଢ଼ି ଯାଇଥିଲେ । ପୋଲ ଅଧା ତିଆରି ହୋଇଥିବାରୁ ରାତିରେ ରାସ୍ତା ଦେଖା ଯାଇ ନଥିଲା। ଫଳରେ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଭାରସ୍ୟାମ ହରାଇ ୫୦ ଫୁଟ୍‌ ତଳକୁ ରାମଗଙ୍ଗା ନଦୀରେ ଖସି ପଡ଼ିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *