ଫୋକସ ପ୍ଲସ (ବ୍ୟୁରୋ)୨୦/୦୭/୨୦୨୨: ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ରାନିଲ ବିକ୍ରମସିଙ୍ଘେ ଙ୍କ ବାଜିମାତ୍ । ଦେଶର ନୂଆ ରାଷ୍ଟ୍ରପତି ହେଲେ ବିକ୍ରମସିଙ୍ଘେ । ରାଷ୍ଟ୍ରପତି ପଦ ପାଇଁ ତ୍ରିକୋଣୀୟ ଲଢେଇରେ ବିକ୍ରମସିଙ୍ଘେ ସର୍ବାଧିକ ୧୩୪ ଖଣ୍ଡ ଭୋଟ ସହ ବିଜୟ ହାସଲ କରିଛନ୍ତି । ତାଙ୍କ ସପକ୍ଷରେ ୧୩୪ ଖଣ୍ଡ ଭୋଟ ମିଳିଥିବା ବେଳେ ଦୁଲାସ ଅହ୍ଲାପେରୁମାଙ୍କୁ ୮୨ ଖଣ୍ଡ ଭୋଟ ମିଳିଛି । ଏହାସହିତ ବିକ୍ରମସିଙ୍ଘେ ଦେଶର ନୂଆ ରାଷ୍ଟ୍ରପତି ହୋଇଛନ୍ତି । ସେ ପୂର୍ବରୁ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ପରେ କାମଚଳା ରାଷ୍ଟ୍ରପତି ଥିଲେ । ଦେଶବାସୀଙ୍କ ତୀବ୍ର ଆକ୍ରୋଶର ଶିକାର ହୋଇ ଗୋଟାବାୟା ରାଜପକ୍ଷେ ଦେଶ ଛାଡି ପଳାଇବା ପରେ ୨୨୫ ସଦସ୍ୟ ବିଶିଷ୍ଟ ଶ୍ରୀଲଙ୍କା ସଂସଦରେ ଆଜି ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ମୋଟ ୨୨୩ ଜଣ ସାଂସଦ ଭୋଟ ଦେଇଥିବା ବେଳେ ୨ ଜଣ ଅନୁପସ୍ଥିତ ରହିଥିଲେ । ମୋଟ ୨୨୩ ଭୋଟରୁ ୨୧୯ଟି ଭୋଟ ବୈଧ ହୋଇଥିଲା ଏବଂ ୪ଟି ନାକଚ ହୋଇଯାଇଥିଲା । ସର୍ବାଧିକ ୧୩୪ ଖଣ୍ଡ ସହ ପ୍ରତିଦ୍ବନ୍ଦୀ ଦୁଲାସ ଅହ୍ଲାପେରୁମାଙ୍କୁ ହରାଇ ରାନିଲ ବିକ୍ରମସିଙ୍ଘେ ଅର୍ଥନୈତିକ ସଙ୍କଟ ମଧ୍ୟରେ ଉବୁଟୁବୁ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି । ନିଜର ବିଜୟକୁ ନେଇ ସେ ପ୍ରତିକ୍ରିୟା ଦେଇଛନ୍ତି, ” ଦେଶ ଜଟିଳ ପରିସ୍ଥିତିରେ ଅଛି । ଆଗକୁ ସାମ୍ନାରେ ବଡ ଚ୍ୟାଲେଞ୍ଜ ରହିଛି ।” ବିକ୍ରମସିଙ୍ଘେ ପୂର୍ବରୁ ଶ୍ରୀଲଙ୍କାର ୬ ଥର ପ୍ରଧାନମନ୍ତ୍ରୀ ଥିଲେ ।
ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |