ବିଦାୟ ବନ୍ଧୁ ସିଞ୍ଜୋ ଆବେ …

ଫୋକସ ପ୍ଲସ (ବ୍ୟୁରୋ)୦୯/୦୭/୨୦୨୨: ସୂର୍ଯ୍ୟୋଦୟର ଦେଶ ଜାପାନ ଗତ ଆଠ ଜୁଲାଇର ଏକ ଅଶୁଭ ମୁହୂର୍ତ୍ତରେ ତାଙ୍କର ପ୍ରିୟ ନେତା , ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ବିଶିଷ୍ଠ କୂଟନୀତିଜ୍ଞଙ୍କୁ ଚିର ଦିନ ପାଇଁ ହରାଇ ବସିଲା I ଏହା ଜାପାନ ବାସୀଙ୍କୁ ଯେତିକି ଦୁଃଖ ଦେଇନାହିଁ , ସାରା ପୃଥିବୀର ବିଶିଷ୍ଠ ନେତୃବୃନ୍ଦ ଏବଂ ଆବେଙ୍କୁ ଜାଣିଥିବା କୋଟି କୋଟି ଲୋକ ଆବେଙ୍କ ନିଧନରେ ମର୍ମାହତ I “ବିଧିର ବିଧାନ କେ କରିବ ଆନ” କେଉଁ ଏକ ଅଶୁଭ ମୁହୂର୍ତ୍ତରେ ସଭା ମଞ୍ଚରେ ନିଜର ବକ୍ତବ୍ୟ ରଖୁଥିବା ସମୟରେ ଆତତାୟୀର ଗୁଳି ମାଡ଼ରେ ଆବେ ଟଳିପଡିଲେ , ତୁରନ୍ତ ତା’ଙ୍କୁ ହାସ୍ପାତାଳରେ ଭର୍ତ୍ତି କରାଯାଇଥିଲା ଅତ୍ୟଧିକ ରକ୍ତସ୍ରାବ ଜନିତ ମୃତ୍ୟୁ ବୋଲି ଡାକ୍ତର ଘୋଷଣା କରିଥିଲେ I ଏକ ମହାନ ବ୍ୟକ୍ତିତ୍ୱ , ଭାରତର ପରମ ବନ୍ଧୁ ଆବେ ଆଉ ନାହାନ୍ତି ଆମେ ତାଙ୍କ ଅକାଳ ବିୟୋଗରେ ଆଜି ମର୍ମାହତ , ଭାରତ ସରକାର ଶନିବାର ନଅ ଜୁଲାଇ ଗୋଟିଏ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରୁଛନ୍ତି ଏହା ଆବେଙ୍କ ଆତ୍ମାର ସତଗତି ପାଇଁ ସାରା ଭାରତବାସୀଙ୍କ ଶ୍ରଦ୍ଧାଞ୍ଜଳି I ଆବେ ଆଉ ଭାରତ ପରସ୍ପର ଅତି ନିବିଡ଼ ବନ୍ଧୁତ୍ୱରେ ଆବଦ୍ଧ ଥିଲେ , ଭାରତ ଆଜି ଜଣେ ସଚ୍ଚା ବନ୍ଧୁଙ୍କୁ ହରାଇଛି I
ଜାପାନ ଦେଶର ଏକ ରାଜନୈତିକ ପରିବାରରେ ୨୧ ସେପ୍ଟେମ୍ବର ୧୯୫୪ ମସିହାରେ ଜନ୍ମିତ ସିଂଜୋ ଆବେ ନିଜର ବ୍ୟକ୍ତିତ୍ୱ ଏବଂ ଉତ୍ସର୍ଗୀକୃତ ଜୀବନଶୈଳୀ ଦ୍ୱାରା ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥିଲେ I ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା ଦ୍ୱାରା ପରମାଣୁ ବୋମା ନିକ୍ଷେପ କରାଯାଇଥିବା ହିରୋସୀମା ଓ ନାଗାସାକିର ଧ୍ବଂସ ସ୍ତୁପ ମଧରୁ ଜାପାନ ଦେଶକୁ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବାରେ ତାଙ୍କ ଜେଜେ ବାପା ପୂର୍ବତନ ପ୍ରଧାନମନ୍ତ୍ରୀ ନୋବୁସୁକେ କିଶିଙ୍କର ଅକ୍ଲାନ୍ତ ପରିଶ୍ରମ ତଥା ଦେଶପ୍ରେମର ନିଦର୍ଶନ ମିଳେ I ଭାରତର ପ୍ରଧାନ ମନ୍ତ୍ରୀ ଜବାହାରଲାଲ ନେହେରୁ ଥିବା ସମୟରେ ସେ ଭାରତ ଗସ୍ତରେ ଆସି ଜାପାନ ଏବଂ ସ୍ୱାଧୀନ ଭାରତର ବନ୍ଧୁତାର ଶୁଭାରମ୍ଭ କରିଥିଲେ I ଭାରତ ପରାଧୀନ ଥିବାବେଳେ ପ୍ରଥମେ ଜାପାନ ସହିତ ବନ୍ଧୁତା କରିଥିଲେ ନେତାଜୀ ସୁବାସ ଚନ୍ଦ୍ର ବୋଷ , ସେତେବେଳର ଜାପାନ ସରକାର ଅକୁଣ୍ଠ ଚିତ୍ତରେ ନେତାଜୀଙ୍କୁ ସହଯୋଗର ହାତ ବଢ଼ାଇ ଦେବା ସହିତ ଭାରତକୁ ସ୍ୱାଧୀନ କରିବାରେ ଆଗ୍ରହ ଦେଖାଇଥିଲେ , ତେଣୁ ଭାରତ ଜାପାନ କେଉଁ ଯୁଗରୁ ବନ୍ଧୁ ଥିଲେ , ଆଜି ବି ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିଥିବେ I ଆବେ ଏକ ରାଜନୈତିକ ପରିବାରରେ ଜନ୍ମ ନେଇଥିବାରୁ ତା’ଙ୍କ ରକ୍ତରେ ରାଜନୀତି ଥିଲା , ଜେଜେବାପା , ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ରାଜନୀତିରେ ସକ୍ରିୟ ଥିଲେ I ୧୯୭୭ ମସିହାରେ ‘ସେଇକେଇ’ ବିଶ୍ୱବିଦ୍ୟାଳୟ ଟୋକିଓରୁ ସ୍ନାତକ ହେବାପରେ ସେ ଦକ୍ଷିଣ କାଲିଫର୍ନିଆ , ଯୁକ୍ତରାଷ୍ଟ୍ର ଆମେରିକାରେ ରାଜନୀତି ବିଜ୍ଞାନ ଅଧ୍ୟୟନ କରିଥିଲେ ଏବଂ ୧୯୭୯ ମସିହାରେ ଜାପାନ ଫେରି କୋବେ ଷ୍ଟିଲ କମ୍ପାନୀରେ ଯୋଗ ଦେଇଥିଲେ , ଯାହାର ରକ୍ତକଣିକାରେ ରାଜନୀତି ଅଛି ସେ କ’ଣ କୌଣସି ଚାକିରୀ କରିପାରବ ? ଏହାପରେ ଆବେ ଲିବେରାଲ ଡେମୋକ୍ରାଟିକ୍ ଦଳର ସକ୍ରିୟ ସଦସ୍ୟ ହୋଇ କାର୍ଯ୍ୟ କରିଥିଲେ , ୧୯୮୨ ମସିହାରେ ସେ ନିଜ ବାପାଙ୍କ ପାଖରେ ସଚିବ ହୋଇ ରହିଲେ, ସେତେବେଳେ ତା’ଙ୍କ ବାପା ସିନତାର ଆବେ ଜାପାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ I ଆବେ ଏକ ରାଜନୈତିକ ପରିବାରରେ ଜନ୍ମ ନେଇଥିବାରୁ ତା’ଙ୍କ ରକ୍ତରେ ରାଜନୀତି ଥିଲା , ଜେଜେ ବାପା , ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ରାଜନୀତିରେ ସକ୍ରିୟ ଥିଲେ I I ଆବେ ଅକାଈ ମାତ୍ସୁଜାକିଙ୍କୁ ୧୯୮୭ ମସିହାରେ ବିବାହ କରିଥିଲେ , ତାଙ୍କର କୌଣସି ସନ୍ତାନ ସନ୍ତତି ନାହାନ୍ତି I ଆବେ ୧୯୯୩ ମସିହାରେ ଜାପାନ ପାର୍ଲିଆମେଣ୍ଟର ନିମ୍ନ ସଦନରେ ସଦସ୍ୟତା ପାଇଥିଲେ , ତାହାପରେ ଆବେ ଆଉ ପଛକୁ ଫେରି ଦେଖି ନାହାନ୍ତି, ସୋପାନ ପରେ ସୋପାନ ଚଢି ପ୍ରଧାନ ମନ୍ତ୍ରୀ ହୋଇ ପାରିଥିଲେ ଏବଂ ଶାସନ ଗାଦିରେ ସବୁଠାରୁ ବେଶିଦିନ ବସିଥିବା ପ୍ରଧାନମନ୍ତ୍ରୀ ହେବାର ଇତିହାସ ରଚିଥିଲେ I ଜାପାନକୁ ବିଶ୍ୱର ଏକନମ୍ବର ଦେଶ ଭାବେ ଗଢି ତୋଳିବା ତାଙ୍କର ସ୍ବପ୍ନ ଥିଲା ଏବଂ ସେ ତା’ଙ୍କ ଶାସନ କାଳରେ ତାହା ମଧ୍ୟ କରି ଦେଖାଇବାରେ ସଫଳ ହୋଇଛନ୍ତି I
ତାଙ୍କର ବୈଦେଶିକ ନୀତି ମଧ୍ୟ ଖୁବ ଉଚ୍ଚ କୋଟିର ଥିଲା ବିଭିନ୍ନ ଦେଶ ସହିତ ଜାପାନର ବନ୍ଧୁତା ଅତୁଟ ଥିବାବେଳେ କେବଳ ଚୀନ ସହିତ ବିବାଦ ରହିଥିଲା ଏବଂ ଆଜି ମଧ୍ୟ ରହିଛି, ଚୀନର ସବୁ ରାଷ୍ଟ୍ର ମାନଙ୍କ ଉପରେ ଆଧିପତ୍ୟ ଜାହିର, ବିସ୍ତାରବାଦୀ ନୀତି ତଥା ଅହଂକାର ପାଇଁ ଆଜି ପୃଥିବୀର ଅନେକ ଶାନ୍ତିପ୍ରିୟ ରାଷ୍ଟ୍ର ଚିନ୍ତିତ , ଜାପାନ ତନ୍ମଧ୍ୟରୁ ଅନ୍ୟତମ I ଆବେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ସହିତ ଅନେକ ଚୁକ୍ତି ସ୍ଵାକ୍ଷର କରିଛନ୍ତି , ଭାରତ ସରକାରଙ୍କ ଦ୍ୱାରା ଆବେ ପଦ୍ମ ବିଭୂଷଣ ଉପାଧି ମଧ୍ୟ ପାଇଛନ୍ତି ଯାହାକି ଭାରତର ଦ୍ଵିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ I ଆମ ପ୍ରଧାନ ମନ୍ତ୍ରୀଙ୍କର ସେ ଘନିଷ୍ଠ ବନ୍ଧୁଥିଲେ, ତା’ଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ଜନିତ ହତ୍ୟାକୁ ସାରା ପୃଥିବୀ ଆଜି ନିନ୍ଦା କରୁଛି I ୪୧ ବର୍ଷୀୟ ଟେସୁଆ ୟାମାଗ ପୂର୍ବତନ ନୌବାହିନୀର ଜଣେ କର୍ମମଚାରୀ ନିଜର ପୂର୍ବ ଅସନ୍ତୁଷ୍ଟତାର ପ୍ରତିଶୋଧ ନେବା ପାଇଁ ଆଗରୁ ମଧ୍ୟ ତିନିଥର ଆବେଙ୍କୁ ହତ୍ୟା କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା , ଶେଷରେ ଗତ ଆଠ ଜୁଲାଇ ୨୦୨୨ ମସିହା ଦିନ ସଫଳ ହୋଇଥିଲା I ଗଣ ମାଧ୍ୟମର ସାମ୍ବାଦିକ ମାନେ ପଚାରିବାରୁ ସେ ଏହା କହିଥିଲା ଏବଂ ସେ ଏହି କାର୍ଯ୍ୟ ପାଇଁ ଆଦୌ ଅନୁତପ୍ତ ନୁହେଁ ବୋଲି ମଧ୍ୟ ରୋକଠୋକ ଶୁଣାଇ ଦେଇଥିଲା I ଧନ୍ୟ କହିବ ଏପରି ନୃଶଂସ ଅପରାଧୀ ମାନଙ୍କୁ, ଏମାନଙ୍କର ମାନବିକତା ନାହିଁ, ଅନୁଶୋଚନା ମଧ୍ୟ ନାହିଁ I କବିଙ୍କର ସେଇ ପଂକ୍ତି ମନେପଡିଯାଏ ” ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ , କର୍ମେ ଜୀଏଁ ନର କର୍ମ୍ମ ଏକ ତା’ର ଜୀବନର ମାନଦଣ୍ଡ” ଆବେ ଆସିଥିଲେ, ଆବେ ଅକାଳରେ ଚାଲିଗଲେ କିନ୍ତୁ ରଖିଦେଇଗଲେ ଅନେକ ସ୍ମୃତି , ଭବିଷ୍ୟତର ଜାପାନୀ ନାଗରିକ ମାନଙ୍କୁ ଇତିହାସ କହିବ ଆବେଙ୍କ କର୍ମମୟ ଜୀବନର କଥା I ଆମେ ଆମର ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛୁ ଆବେଙ୍କୁ ଏବଂ ତା’ଙ୍କ ପରିବାରକୁ ତଥା ଜାପାନ ବାସୀଙ୍କୁ ଅନ୍ତରରୁ ସହାନୁଭୂତି, ଭଗବାନ ତା’ଙ୍କୁ ଶକ୍ତି ଦିଅନ୍ତୁ I

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *