‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର

ଜାତୀୟ ସ୍ତରରେ ଝଲସିଲା ଓଡ଼ିଆ ଫିଲ୍ମ ‘ଦମନ’। ରାଷ୍ଟ୍ରପତି ଭବନରେ ଆୟୋଜିତ 70ତମ ଜାତୀୟ ପୁରସ୍କାର ସମାରୋହରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି ‘ଦମନ’। ଏହି ପୁରସ୍କାର ରାଜ୍ୟ ପାଇଁ ଆଣିଛି ଗର୍ବ ଓ ଗୌରବ। ଏହି ଫିଲ୍ମରେ ଦିଆଯାଇଥିବା ସଚେତନତା ବାର୍ତ୍ତା ସମସ୍ତଙ୍କ ମନକୁ ଛୁଇଁଥିବାବେଳେ ସବୁ ମହଲରେ ପ୍ରଶଂସା ସାଉଣ୍ଟିଛି ଏହି ଓଡ଼ିଆ ଫିଲ୍ମ । ଓଲିଉଡ ପାଇଁ ଏହା ଏକ ସଞ୍ଜୀବନୀ ସାଜିଥିବା ଚର୍ଚ୍ଚା ହେଉଛି।

ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏଥିରେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି । ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଂ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ । ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତରଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଆହ୍ବାନର ସାମ୍ନା କରିବାକୁ ପଡ଼ୁଛି, ତାହା ଦେଖିବାକୁ ମିଳିଥିଲା । ଏହାର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଥିଲେ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା । ପ୍ରଯୋଜନା ଦୀପେନ୍ଦ୍ର ସାମଲ ଥିବା ବେଳେ ଏଥିରେ ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *