ଜିରୋ ନାଇଟ୍‌: ରୋଡ୍‌ ରୋମିଓଙ୍କ ଉପରେ ରହିବ ତୀକ୍ଷ୍ଣ ନଜର!

ଭୁବନେଶ୍ୱର: ଆଉ ୨ ଦିନ ପରେ ବଦାୟ ନେବ ୨୦୨୪। ନୂଆବର୍ଷକୁ ସ୍ୱାଗତ ସହ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଇଁ ସବୁଆଡେ଼ ଜୋର୍‌ଦାର ଚାଲିଛି ପ୍ରସ୍ତୁତି। ଏହି ପ୍ରସ୍ତୁତି ଭିତରେ ଟ୍ୱିନ୍‌ ସିଟି ସମେତ ବିଭିନ୍ନ ସହରରେ ବଢ଼ିଲାଣି ସୁରକ୍ଷା ବ୍ୟବସ୍ଥା। ଜିରୋ ନାଇଟ୍‌ ବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଥିବା ପୁଲିସ ଡ୍ରିଙ୍କ୍‌ ଆଣ୍ଡ ଡ୍ରାଇଭ୍‌ ବିରୋଧୀ ଅଭିଯାନକୁ ଜୋର୍‌ଦାର୍‌ କରୁଛି। ପ୍ରତି ଛକରେ ନାକାବନ୍ଦୀ କରି ପୁଲିସ ଯାଞ୍ଚକୁ କଡ଼ାକଡ଼ି କରିଛି। ଏପରିକି ମଦପିଇ ଗାଡ଼ି ଚଲାଉଥିଲେ ଛଡ଼ାଯିବ ନାହିଁ। ଏଥିସହ ଜିରୋ ନାଇଟ୍‌ ସେଲିବ୍ରେସନ ସମୟରେ ମହିଳାମାନେ ଯେପରି ଅସୁରକ୍ଷିତ ନ ମଣିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ହୋଟେଲମାନଙ୍କୁ କୁହାଯାଇଛି। ବିଶେଷକରି ଜିରୋ ନାଇଟ୍‌ ରାତିରେ ମହିଳାଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଛି ପୁଲିସ। କାରଣ ଭିଡ଼ର ସୁଯୋଗ ନେଇ ଅସଦାଚରଣ କରିବାକୁ ଅଧିକ ସମ୍ଭାବନା ରହିଛି। ତେଣୁ ପୁଲିସ ପ୍ରତି ହୋଟେଲ ଆଗରେ ପଇଁତରା ମାରିବା ସହ ହୋଟେଲରେ ସର୍‌ପ୍ରାଇଜ୍‌ ଭିଜିଟ୍‌ କରିବ ବୋଲି କୁହାଯାଇଛି। ୩୧ ଓ ୧ ତାରିଖ ଦିନ ସହରରେ ୩୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏଥିସହ ସହରରେ ଥିବା ସମସ୍ତ ଥାନା ଆଲର୍ଟରେ ରହିବାକୁ କୁହାଯାଇଛି। କୌଣସି ସ୍ଥାନରେ କିଛି ବି ଅଘଟଣ ଘଟିଲେ ପୁଲିସକୁ ଫୋନ୍‌ କରି ଜଣାଇବାକୁ କୁହାଯାଇଛି।

ଜିରୋ ନାଇଟ୍‌ ପାଇଁ ପୁଲିସର ଜିରୋ ଟଲେରାନ୍ସ। ସେଲିବ୍ରେସନ କର, କିନ୍ତୁ ସୀମା ଭିତରେ। ନୂଆବର୍ଷ ପାଳନ ଭିତରେ କେହି ଭୁଲି ନ ଯାଆନ୍ତୁ ନିୟମ। ଡ୍ରିଙ୍କ୍‌ ଆଣ୍ଡ ଡ୍ରାଇଭ୍‌ ଉପରେ ପୁଲିସର ଆଖି। ବାର୍‌, ପବ୍‌ ଓ ହୋଟେଲରେ କଡ଼ାକଡ଼ି ହେବ ଚେକିଂ। ଜିରୋ ନାଇଟ୍‌ ପୂର୍ବରୁ ଟ୍ୱିନ୍‌ ସିଟିରେ ସୁରକ୍ଷାକୁ କଡ଼ାକଡ଼ି କରିଛି କମିସନରେଟ୍‌ ପୁଲିସ। ଜୋର୍‌ଦାର୍‌ ହେବ ନାଇଟ୍‌ ଚେକିଂ, ବ୍ଲକିଂ, ନାକାବନ୍ଦୀ ସହ ମଦୁଆ ଧରପଗଡ଼ ଅଭିଯାନ। ୩୧ ସନ୍ଧ୍ୟାରୁ ଆହୁରି କଡ଼ାକଡ଼ି ହେବ ଯାଞ୍ଚ। ମଦପିଇ ଗାଡ଼ି ଚଳାଇଲେ ବାନ୍ଧିବ ପୁଲିସ। ସେହିପରି ରୋଡ୍‌ ରୋମିଓଙ୍କ ଉପରେ ତୀକ୍ଷ୍‌ଣ ନଜର ରହିବ। ସେମାନଙ୍କ ପାଇଁ ଜିରୋ ଟଲେରାନ୍ସ ନୀତି ଆପଣାଇଛି କମିସନରେଟ୍‌ ପୁଲିସ। ଟ୍ୱିନ୍‌ ସିଟିରେ କିଛି ହୋଟେଲ ଓ ଖୋଲା ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ୍‌ ପାଇଁ ଅନୁମତି ମିଳିଛି। ଏନେଇ ଅବକାରୀ ବିଭାଗ ସହ ଆଲୋଚନା କରିଛି କମିସନରେଟ୍‌ ପୁଲିସ। କଟକରେ ମୁତୟନ ରହିବେ ୮ ପ୍ଲାଟୁନ୍‌ ଫୋର୍ସ। ରାତି ୧୨ଟା ପରେ ଜିରୋ ନାଇଟ୍‌ ସେଲିବ୍ରେସନରେ ମାତିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି ସିପି।

Leave a Reply

Your email address will not be published. Required fields are marked *