ଫୋକସ ପ୍ଲସ (ବ୍ୟୁରୋ)୨୯/୦୬/୨୦୨୨: ଚିକମିକ ପିଚୁ ରାସ୍ତା, କଂକ୍ରିଟର ସହର | ରାସ୍ତା ପାର୍ଶ୍ଵକୁ ଲାଗି ଡ୍ରେନ, ଦେଖିଲେ ଆଖିକୁ ସୁନ୍ଦର ଲାଗୁଛି |କଂକ୍ରିଟ ସହରର ଗୋଲାପୀ ଲାଇଟ ର ଚିତ୍ର |କାରଣ ଯେଉଁଆଡେ ଚାହିଁବେ ଖାଲି କୋଠାବାଡି ଆଉ ବିରାଟ ବିରାଟ ଅଟ୍ଟାଳିକା |ଅପ୍ରାକୃତିକ ଭାବେ ସହର ସୁନ୍ଦରକୁ ହେଉଛି ବୋଲି କହି କାନ୍ଥବାଡ ସବୁଠି ଅଙ୍କାଯାଉଛି ପରିବର୍ତ୍ତନର ପଟ୍ଟଚିତ୍ର | ଶହ ଶହ ବର୍ଷର ଗାଁ ଓ ପୁରୁଣା ସହରକୁ ସମାଧି ଦେଇ ଗଢା ଚାଲିଛି ଆଦର୍ଶ ଗାଁ ଏବଂ ଆଧୁନିକ ସହର | ହେଲେ ଏହି ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ କଣ ବଳି ପଡୁଛି ଆପଣମାନେ ଜାଣିଛନ୍ତି ତ? ସୌନ୍ଦର୍ଯ୍ୟକରଣ ଆଳରେ ଆମେ ପରିବେଶ ସହ ଖେଳ ଖେଳୁନେ ତ? ଧରିତ୍ରୀ ମାତାର ଛାତିକୁ ଛୁରୀ ମାରୁନେ ତ ? ଏ ସବୁ ପ୍ରଶ୍ନର ଉତ୍ତର କାହା ପାଖରେ ଅଛି |ଉତ୍ତର ପାଇବାକୁ ହେଲେ ଆପଣଙ୍କୁ ସେହି ସହରରେ ବାସ କରୁଥିବା କିମ୍ବା ସରକାର ଚଳାଉଥିବା ନେତା ମାନଙ୍କ ପାଖକୁ ଯାଇ ପଚାରିବକୁ ହେବ | ପଚାରିବେ କିନ୍ତୁ ଆପଣଙ୍କୁ ଉତ୍ତର ମିଳିବନି କାରଣ ନିଜ ନିଜ ସୁବିଧା ପାଇଁ ଏଇମାନେ କେବେ ପାଟି ଖୋଲି କହିବେ ନାହିଁ | ବିକାଶ ବିକାଶ କହି ଚିତ୍କାର କରି କରି ପଦା କରୁଛନ୍ତି ଗଛଲତା | କଟାଯାଉଛି ଶହ ଶହ ବର୍ଷର ବହୁ ପୁରୁଣା ଓ ବଡ ବଡ ଗଛ |ଇତିହାସ କୁ ବକ୍ଷରେ ଜାବୁଡି ଧରିଥିବା ସେହି ବଟ ବୃକ୍ଷ ଙ୍କୁ ମଧ୍ୟ ଛଡା ଯାଉନି |ଧରିତ୍ରୀ ମାତାର ଅକୁହା ମାଟି ଉପରେ କଂକ୍ରିଟର ଢଲେଇ କରି ମାଟିର ସୌନ୍ଦର୍ଯ୍ୟକୁ କବର ଦିଆଯାଉଛି | ଟକଟକ ହେଉଥିବା ଗରମ ପିଚୁ ଢାଳି, ଟାଇଲ୍ସ ବସାଇ ମାଟି ମାଆର ଛାତିକୁ ବିଦାରି ଦିଆଯାଉଛି ଅବା ମାରି ଦିଆଯାଉଛି |
ଯେଉଁ ଗଛ ଆମକୁ ଜୀବନ ଦେଉଛି ତାକୁ ନିଜ ସ୍ୱାର୍ଥପାଇଁ ହାଣିଦେଉଛି ମଣିଷ | ଆଉ ରାସ୍ତା ଘାଟରେ ଥକା ମେଣ୍ଟାଇବାକୁ ଛାଇଟିଏ ପାଉନି ବାଟୋଇ | ସହରରେ ପଥିକକୁ ଗଛ ଛାଇ ଖୋଜିବାକୁ ପଡୁଛି | କିନ୍ତୁ ବଡ଼ ବଡ଼ ବାବୁ ମାନେ ନିଜ ଦାମୀ କାରରେ ଅପ୍ରାକୃତିକ ଥଣ୍ଡା ପବନ ଖାଇ ନିରବୀଛୀନ ଜୀବନ ଯାପନ କରୁଛନ୍ତି |ଗଛର ଛାଇ କଟୁରୀରେ ହାଣି ଖଣ୍ଡ ବିଖଣ୍ଡିତ କରିବା ପରେ ଖୋଜୁଛି ଆପାର୍ଟମେଣ୍ଟର ଛାଇ | କଂକ୍ରିଟର ଚାଦର ଏତେ ମାତ୍ରାରେ ଢାଙ୍କି ହୋଇ ରହିଛି ଯେ ଆମ ରାଜଧାନୀ ଭୁବନେଶ୍ୱରରେ ତ ଆଉ ମାଟି ଟିକେ ଦେଖିବାକୁ ମିଳୁନି । ଢାଙ୍କିଦେଲାଣି ଭୁବନେଶ୍ୱରର ଭୁପୃଷ୍ଠ । ମାଟି କି ଘାସ ଟିକିଏ ଦେଖିବା ଏବେ ସହରରେ ବିରଳ ହେଲାଣି । ଏହାହିଁ ଦର୍ଶାଉଛି ସହରକୁ ସୁନ୍ଦର ହେବା ଦର୍ଶାଇ କେଉଁ ପରିସ୍ଥିତିକୁ ଜୀବ ଜଗତ କୁ ପଠାଇ ଦିଆଯାଉଛି |ଆଜିକାଲି ସିନା ଡାକ୍ତରଖାନା ମାଳ ମାଳ, ଡାକ୍ତର ପଲପଲ । କିନ୍ତୁ ଏସବୁ କ’ଣ ଆଗରୁ ଥିଲା | ସମସ୍ତେ ଯଦି ଚେଷ୍ଟା କରିବା ତେବେ ପୁଣି ଥରେ ଏ ଗଛଗୁଡିକର ଯତ୍ନ ନେଇ ତା’ର ଔଷଧ ଲୋକଙ୍କ ସେବାରେ ଲଗାଇ ପାରନ୍ତେ |କିନ୍ତୁ ଅବୁଝା, ସ୍ୱାର୍ଥପର ମାନବ ଜାତି ପାଇଁ ଆଜି ଗଛ କାନ୍ଦୁଚି |ଆଉ
ଚିତ୍କାର କରୁଛି, କାନ୍ଦୁଚି ଆଉ କହୁଛି, ରେ ମାନବ ଜାତି ନିଜର ଗର୍ବ, ଅହଂକାର, ଔଦ୍ଧତ୍ୟ ବଳରେ ମୋତେ କାଟି ପଦା କରି ଯେଉଁ ଆନନ୍ଦ ଲାଭ କରୁଛୁ ତାହା ତୋ ପାଇଁ ଦିନେ ଘୋର ବିପଦ ହେବ |ଆଉ ତାହା ବେଶୀ ଦିନ ନୁହେଁ, ଖୁବ ଶୀଘ୍ର ମୋତେ କାଟିବାର ଫଳ ଭୋଗିବାକୁ ପ୍ରସ୍ତୁତ ରହ |ସୁଧୁରିଯା, ନଚେତ ରାସ୍ତାରେ ଅଂଶୁଘାତ ର ଶିକାର ହେଉଥିବା ବେଳେ ମୋତେ ମନେ ପକାଇ କହିବୁ ଦିନେ ଏହି ଜାଗାରୁ ମୁଁ ତୋତେ ହଟାଇ ମସ୍ତ ବଡ଼ ଭୁଲ କରିଥିଲି |ଆଉ ସେତେବେଳେ ମୁଁ ବି କହିବି
ଆପଣା ହସ୍ତେ ଜିହ୍ଵା ଛେଦି ।
କେ ତା’ରେ ଅଛି ପ୍ରତିବାଦୀ ?
ଗଛ ଆଖିରେ ଲୁହ,ସତରେ ଦୁନିଆ ବଡ ବିଚିତ୍ର |ଆମେ ଦୁଇ ପ୍ରକାର ନିଆଁ ବିଷୟରେ ଜାଣୁ,ଏନ୍ତୁଡି ଶାଳର ନିଆଁ ଆଉ ଶ୍ମଶାନ ଘାଟରେ ନିଆଁ ।ମଣିଷ ଭୂମିଷ୍ଠ ପରେ ଯାହାକୁ ଜାଳି ପୋଡି ଯେଉଁ ନିଆଁ ରେ ଶେକା ହୋଇ ସୁସ୍ଥ ସବଳ ବଳିଷ୍ଠ ହେଲା,ଯାହାକୁ ଜାଳି ପୋଡି ମାଆ ଶେକି ଶାକି ହାତ ଗୋଡ ଶକ୍ତ କରିଥିଲା,ସେହି ଶକ୍ତ ହାତ ଖଣ୍ଡିଏ ଲୁହାରେ ତାକୁହିଁ କାଟୁଛି,ତାକୁହିଁ ହାଣୁଛି |ମଣିଷ ଭୁଲି ଯାଇଛି ଜୀବ ଜଗତର ବଞ୍ଚିବାର ମୂଳ ସୂତ୍ରଧର ଏକମାତ୍ର ଗଛ |