କଟକ: ଆଜି ଦେଶ ପାଳନ କରୁଛି ନିଜର ଅତ୍ୟତମ ଯୋଗ୍ୟ ସନ୍ତାନ ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ନେତାଜୀଙ୍କ ଏହି ଜୟନ୍ତୀକୁ ନେଇ ଦେଶବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଉଥିବା ବେଳେ ନେତାଜୀଙ୍କ ଜନ୍ମସ୍ଥାନ କଟକରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଆଜି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କଟକ ଜିଲାପାଳ ଭବାନୀ ଶଙ୍କର ଚୟନି, ବାରବାଟୀ କଟକ ବିଧାୟକ ଇଂ ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ‘ଆମ ଓଡ଼ିଶା’ ସଂପାଦକ ସ୍ୱରାଜ ମିଶ୍ର ଓ ‘ସମ୍ବାଦ’ କଟକ ସଂସ୍କରଣ ମୁଖ୍ୟ କୃଷ୍ଣପ୍ରସାଦ ଦାସ ପ୍ରମୁଖ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।
ଆଜି ସକାଳୁ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ ହେବାକୁ ଥିବା ବେଳେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ତେବେ କୋଭିଡ କଟକଣା ଲାଗିଥିବାରୁ ଅନ୍ୟ ବର୍ଷ ଗୁଡ଼ିକ ଭଳି ନେତାଜୀ ଜୟନ୍ତୀ ଅବସରରେ ସଂଗ୍ରାହଳୟ ପରିଦର୍ଶନ ଉପରେ କଟକଣା ଲଗାଯାଇଛି । ଜୟନ୍ତୀ ଅବସରରେ ଜନ୍ମସ୍ଥାନ ବୁଲିବାକୁ ଯାଉଥିବା ଲୋକଙ୍କୁ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଭାସ୍କର୍ଯ୍ୟ ଶିଳ୍ପ ପ୍ରଦର୍ଶନୀ ବୁଲି ଦେଖିବାକୁ ଅନୁମତି ଦିଆଯିବ। କିନ୍ତୁ ସଂଗ୍ରହାଳୟ ମଧ୍ୟକୁ ଯାଇ ଗ୍ୟାଲେରି ପରିଦର୍ଶନ ଉପରେ କଟକଣା ଜାରି କରାଯାଇଛି।