ଅବହେଳାରେ ସହିଦ ଡେବରାଙ୍କ ପରିବାର,ନଜର ପଡୁନି ସରକାରଙ୍କ

ଫୋକସ ପ୍ଲସ(ହରିଚନ୍ଦନପୁର)୧୫/୦୮/୨୦୨୨: ଦେଶ ପାଳନ କରୁଛି ସ୍ୱାଧୀନତା ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ । ଦେଶବ୍ୟାପୀ ଏହି ଦିବସକୁ ହର ଘର ତ୍ରିରଙ୍ଗା ଲଗାଇ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। ତେବେ ଯେଉଁମାନଙ୍କ ପାଇଁ ଆଜି ଆମେ ସ୍ୱାଧୀନତା ଦିବସ ପାଳନ କରୁଛେ ସେମାନଙ୍କ ପରିବାର ଗୁଡ଼ିକ ଆଜି ସ୍ୱାଧୀନତାର ୭୫ବର୍ଷରେ ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଦୁଇମୁଠା ଖାଇବା ପାଇଁ ସଂଗ୍ରାମ କରୁଛନ୍ତି ସ୍ୱାଧିନତା ସଂଗ୍ରାମୀଙ୍କ ପରିବାର । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଧୁରୁଡ଼ିଆମ୍ବ ଗ୍ରାମ ନାଏକ ସାହିରେ । ଏହି ଗ୍ରାମରେ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଡେବରା ମୁଣ୍ଡାଙ୍କ ଘର । ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଡେବରା ମୁଣ୍ଡା ୧୯୧୦ ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ ୧୯୭୫ ମସିହାରେ ପ୍ରାଣ ତ୍ୟାଗ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଡେବରା ମୁଣ୍ଡା ହରିଚନ୍ଦନପୁର ଅଞ୍ଚଳରେ ଲୋକଙ୍କ ଘର ଘର ବୁଲି ଇଂରେଜ ବିରୋଧରେ ଆନ୍ଦୋଳନ କରିବାକୁ ମେଳି କରୁଥିଲେ । ବିଭିନ୍ନ ଆନ୍ଦୋଳନରେ ସାମିଲ ହୋଇ ଇଂରେଜ ମାନଙ୍କ ଦ୍ଵାରା କାରାବରଣ ରହିଥିଲେ । ଏବେ ପରିବାରରେ ପୁଅ ହରିଶ୍ଚନ୍ଦ୍ର ମୁଣ୍ଡା (୭୦) ଓ ସ୍ତ୍ରୀଙ୍କ ସମେତ ପୁଅ ବହୁ ଝିଅଙ୍କୁ ମିଶାଇ ପରିବାରରେ ୮ ଜଣ । କିନ୍ତୁ ଆଜି ପର୍ଯ୍ୟନ୍ତ ରହିବା ପାଇଁ ସରକାରୀ ଘର କିମ୍ବା ଅନ୍ୟ କୌଣସି ସରକାରୀ ସହାୟତା ମିଳିନାହିଁ ଫଳରେ ଭଙ୍ଗା ଦଦରା ଘରେ ରହୁଛନ୍ତି ପରିବାର । ସେ ସମୟରେ ସରକାରଙ୍କ ତରଫରୁ କେବଳ ତାମ୍ର ଫଳକ ମିଳିଥିବା ବେଳେ ଏବେ କେବଳ ରାସନକାର୍ଡ ଟିଏ ମିଳିଥିଲେ ସୁଦ୍ଧା ସେଥିରେ କେଇ ଜଣଙ୍କ ନାମ ନାହିଁ । ଯାହାକି ଖାଇବା, ରହିବା, ଚଳିବାରେ ବହୁ ଅଭାବ ଅସୁବିଧା ଭିତରେ ଜୀବନ ବିତାଉଥିବା ବେଳେ ଚାଷ କରି ପରିବାର ଚଳାଉଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଡେବରା ମୁଣ୍ଡାଙ୍କ ପରିବାର ନିଜର ଏହି ଅଭାବ ଅସୁବିଧା ନେଇ ପୁଅ ଓ ନାତି ବାରମ୍ବାର ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଜି ଯାଏଁ ଏ ଦିଗରେ କୈାଣସି ସୁଫଳ ମିଳିପାରିନଥିବା ପୁଅ ହରିଶ୍ଚନ୍ଦ୍ର ମୁଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି । ତେବେ କେନ୍ଦୁଝରର ଅବସର ପ୍ରାପ୍ତ ପ୍ରଫେସର କୃଷ୍ଣ ଚନ୍ଦ୍ର ନାଏକଙ୍କ ସହଯୋଗରେ ଘର ଅଗଣାରେ ସଂଗ୍ରାମୀ ଡେବରା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ତେବେ ଏହି ସଂଗ୍ରାମୀ ପରିବାରଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ପରିବାର ଗୁହାରି କରିଛନ୍ତି। କେବଳ ସାଧାରଣ ତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସରେ ସଂଗ୍ରାମୀଙ୍କ ସ୍ମୃତିଚାରଣ କରୁଥିବା ସରକାର ଯେ ବାସ୍ତବ ପକ୍ଷେ ସଂଗ୍ରାମୀଙ୍କ ପରିବାର ପ୍ରତି ଥିବା ନିଜର ଦାୟିତ୍ୱବୋଧ ଭୁଲିଯାଇଛନ୍ତି , ସ୍ଵାଧୀନତା ସଂଗ୍ରାମୀ ଡେବରାଙ୍କ ପରିବାର ଏହାର ଏକ ଜ୍ୱଳନ୍ତ ଉଦାହରଣ । ଏଣୁ ସରକାର କେବେ ଏହି ଅବହେଳିତ ସ୍ୱାଧୀନତା ସଂଗ୍ରାମୀ ପରିବାର ଓ ସ୍ୱାଧୀନତା ସଂଗ୍ରାମୀ ଙ୍କ ଗାଁର ବିକାଶ ଦିଗରେ ପଦକ୍ଷେପ ନେଉଛନ୍ତି , ତାହା ଦେଖିବାକୁ ବାକିରହିଲା ।

ହରିଚନ୍ଦନପୁର ରୁ ଲକ୍ଷ୍ମଣ କୁମାର ମହନ୍ତଙ୍କ ରିପୋର୍ଟ ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *